ପାଞ୍ଚମାସ ପରେ ବାହାନଗା ରେଳ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ରେଳଡବାଗୁଡ଼ିକୁ ଆଜି ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଏକ କମ୍ପାନିକୁ ଦୁର୍ଘଟଣାଗ୍ରସ୍ତ ଡବା ଓ ଯନ୍ତ୍ରାଂଶ ନେବାକୁ ନିଲାମ୍ ଦିଆଯାଇଛି। ଆଜି ଉକ୍ତ କମ୍ପାନି ପକ୍ଷରୁ ବାହାନଗାରେ ପଡ଼ିଥିବା ଡବାଗୁଡ଼ିକୁ କାଟିବା କାମ ଆରମ୍ଭ ହୋଇଛି। ଗ୍ୟାସ୍ କଟର୍ରେ ଡବାଗୁଡିକୁ କାଟି ପଶ୍ଚିମବଙ୍ଗ ପଠାଯିବ ବୋଲି ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ଡବାଗୁଡିକୁ ରେଳବାଇ କର୍ତ୍ତୃପକ୍ଷ ଜରିରେ ଘୋଡ଼ାଇ ରଖିଥିଲେ।
ସୂଚନାନୁସାରେ, ଦୁର୍ଘଟଣାସ୍ଥଳରେ ବଗିଗୁଡ଼ିକ ପଡ଼ି ରହିଥିବାରୁ ସ୍ଥାନୀୟ ଲୋକେ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ସେହି ବାଟ ଦେଇ ଯାଆସ କଲାବେଳେ ଏହାକୁ ଦେଖି ସେଦିନର ଛାତିଥରା ଘଟଣାକୁ ମନେ ପକାଇ ଭୟଭୀତ ହେଉଥିଲେ।